ବର୍ଷା ଋତୁରେ ମାଛ ଛାଡିଥିବା ପୋଖରୀରେ ଅକ୍ସିଜେନ୍ କମିଯିବା ଏକ ସାଧାରଣ କିନ୍ତୁ ଗୁରୁତର ସମସ୍ୟା ହୋଇଥାଏ । ପାଣିରେ ଅକ୍ସିଜେନ୍ ଅଭାବ ହେଲେ ମାଛ ପାଣିର ଉପରକୁ ଆସି ମୁହଁ ଖୋଲି ଶ୍ୱାସ ନେବାକୁ ଚେଷ୍ଟା କରିଥାଏ।ଠିକ୍ ସମୟରେ ପଦକ୍ଷେପ ନ ନେଲେ ବହୁ ସଂଖ୍ୟକ ମାଛ ମରିଯାଇପାରେ, ଯାହା ଚାଷୀଙ୍କ ପାଇଁ ବଡ଼ ଆର୍ଥିକ କ୍ଷତିର କାରଣ ହୋଇଥାଏ। ମୁଁ ରତିକାନ୍ତ ଆଜି ଆପଣଙ୍କୁ ଏହି ଲେଖାରେ ସବୁ କିଛି ଗୁରୁ୍ତ୍ୱପୂର୍ଣ୍ଣ ପଦକ୍ଷେପ ଜଣାଇବି।
ଅନେକ ଚାଷୀ ଅକ୍ସିଜେନ୍ କମିବାର ପ୍ରାରମ୍ଭିକ ଲକ୍ଷଣକୁ ଅଣଦେଖା କରିଦିଅନ୍ତି। କିନ୍ତୁ ଠିକ୍ ସମୟରେ ସମସ୍ୟାକୁ ଚିହ୍ନଟ କରି ସଠିକ୍ ବ୍ୟବସ୍ଥା ନେଲେ ମାଛକୁ ସହଜରେ ବଞ୍ଚାଇପାରିବା। ଏହି ଲେଖାରେ ମାଛ ପୋଖରୀରେ ଅକ୍ସିଜେନ୍ କମିବାର କାରଣ, ଲକ୍ଷଣ, ତୁରନ୍ତ କରିବାକୁ ଥିବା ପଦକ୍ଷେପ ଏବଂ ଭବିଷ୍ୟତରେ ଏହି ସମସ୍ୟାକୁ କିପରି ରୋକିବେ ସେସବୁ ବିଷୟରେ ସରଳ ଭାଷାରେ ଜାଣିବେ।
ପୋଖରୀରେ ଅକ୍ସିଜେନ୍ କମିଲେ କେମିତି ଚିହ୍ନିବେ?
ପୋଖରୀରେ ଦ୍ରବୀଭୂତ ଥିବା ଅକ୍ସିଜେନ୍ (Dissolved Oxygen – DO) କମିଗଲେ ମାଛମାନେ ତୁରନ୍ତ କିଛି ଲକ୍ଷଣ ଦେଖାଇଥାନ୍ତି। ଏହି ଲକ୍ଷଣଗୁଡ଼ିକୁ ସମୟରେ ଚିହ୍ନଟ କରିପାରିଲେ ବହୁତ ବଡ଼ ଆର୍ଥିକ କ୍ଷତିକୁ ଏଡ଼ାଇ ହେବ।
ଅକ୍ସିଜେନ୍ କମିଲେ ଦେଖାଯାଉଥିବା ପ୍ରମୁଖ ଲକ୍ଷଣ ଗୁଡ଼ିକ
- ମାଛମାନେ ବାରମ୍ବାର ପାଣିର ଭିତରେ ନ ରହି ଉପରକୁ ଆସି ମୁହଁ ଖୋଲି ଶ୍ୱାସ ନେବାକୁ ଚେଷ୍ଟା କରିଥାନ୍ତି।
- ସକାଳୁ ଭୋର ସମୟରେ ଅଧିକାଂଶ ମାଛ ପୋଖରୀର ଉପର ପାଣିରେ ଭାସୁଥିବା ଦେଖାଯାଏ।
- ମାଛର ଚଳପ୍ରଚଳ କମିଯାଏ ଏବଂ ସେମାନେ ଅଳସୁଆ କିମ୍ବା ନିସ୍ତେଜ ହୋଇପଡ଼ନ୍ତି।
- ମାଛ ଖାଦ୍ୟ ଖାଇବା ବନ୍ଦ କରିଦିଏ କିମ୍ବା ଖୁବ କମ୍ ଖାଏ।
- ପୋଖରୀର ପାଣିରୁ ଦୁର୍ଗନ୍ଧ ବାହାରିଥାଏ କିମ୍ବା ପାଣିର ରଙ୍ଗ ଗାଢ଼ ସବୁଜ କିମ୍ବା କଳା ଦେଖାଯାଏ।ଗୁରୁତର ଅବସ୍ଥାରେ ମାଛ ମରିବା ଆରମ୍ଭ କରେ।

କେଉଁ ସମୟରେ ଅଧିକ ସାବଧାନ ରହିବେ?
ଭୋର 4ଟାରୁ 7ଟା ମଧ୍ୟରେ ପୋଖରୀରେ ଅକ୍ସିଜେନ୍ ସ୍ତର ସବୁଠାରୁ କମ୍ ଥାଏ। ତେଣୁ ଏହି ସମୟରେ ପୋଖରୀକୁ ନିରୀକ୍ଷଣ କରିବା ଅତ୍ୟନ୍ତ ଜରୁରୀ। ବର୍ଷା ପରେ, ମେଘୁଆ ପାଗରେ ଏବଂ ଅଧିକ ମାଛ ଘନତା ଥିବା ପୋଖରୀରେ ଏହି ସମସ୍ୟା ଅଧିକ ଦେଖାଯାଏ।
ଏହି ଲକ୍ଷଣଗୁଡ଼ିକ ଦେଖିବା ମାତ୍ରେ ତୁରନ୍ତ ପଦକ୍ଷେପ ନେଲେ ମାଛର ଜୀବନ ରକ୍ଷା କରାଯାଇପାରିବ।
ଅକ୍ସିଜେନ୍ କମିବାର ମୁଖ୍ୟ କାରଣ
- ପୋଖରୀରେ ଆବଶ୍ୟକତାଠାରୁ ଅଧିକ ମାଛ ଖାଦ୍ୟ, ଗୋବର, କୁକୁଡ଼ା ଖତ କିମ୍ବା ସରସୋ ଖୋଳି ପକାଇଲେ, ସେଗୁଡ଼ିକ ପଚିବା ପାଇଁ ପାଣିରେ ଥିବା ଅମ୍ଳଜାନ ବ୍ୟବହାର ହୋଇଥାଏ।
- ପୋଖରୀ ତଳେ ଅତ୍ୟଧିକ କାଦୁଅ ଓ ନଷ୍ଟ ହୋଇଯାଇଥିବା ଖାଦ୍ୟ ଜମି ରହିଲେ ସେଠାରେ ହାନିକାରକ ଗ୍ୟାସ୍ ଯେପରିକି ଆମୋନିଆ, ହାଇଡ୍ରୋଜେନ୍ ସଲଫାଇଡ୍ ତିଆରି ହୁଏ, ଯାହା ଅମ୍ଳଜାନ ସ୍ତରକୁ ଦ୍ରୁତ ଗତିରେ କମାଇଦିଏ।
- ପୋଖରୀରେ ଅଧିକ ସବୁଜ ଦଳ କିମ୍ବା ଜଳଜ ଉଦ୍ଭିଦ ଥିଲେ, ସେମାନେ ଦିନବେଳା ସୂର୍ଯ୍ୟାଲୋକରେ ଅମ୍ଳଜାନ ତିଆରି କରନ୍ତି। କିନ୍ତୁ ରାତିରେ ସୂର୍ଯ୍ୟାଲୋକ ନଥାଏ, ତେଣୁ ସେମାନେ ନିଜେ ଶ୍ୱାସକ୍ରିୟା ପାଇଁ ପାଣିରୁ ବହୁ ପରିମାଣର ଅମ୍ଳଜାନ ଶୋଷି ନିଅନ୍ତି। ଏହି କାରଣରୁ ଭୋର ସମୟରେ ପୋଖରୀରେ ଅମ୍ଳଜାନର ସବୁଠାରୁ ଅଧିକ ଅଭାବ ଦେଖାଯାଏ।
- ଲଗାତାର ୨-୩ ଦିନ ମେଘୁଆ ବା କୋହଲା ପାଗ ରହିଲେ ସୂର୍ଯ୍ୟାଲୋକ ଅଭାବରୁ ସାଲୋକସଂଶ୍ଲେଷଣ ହୋଇପାରେ ନାହିଁ, ଯାହା ଦ୍ୱାରା ପାଣିରେ ଅମ୍ଳଜାନ ପ୍ରସ୍ତୁତି କମିଯାଏ।
- ପୋଖରୀର ଆକାର ତୁଳନାରେ ଅଧିକ ସଂଖ୍ୟକ ମାଛ ଛାଡ଼ିଲେ, ସେମାନଙ୍କ ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ କମିଯାଏ।
- ଗ୍ରୀଷ୍ମଦିନେ ପାଣି ଅଧିକ ଗରମ ହେଲେ, ପାଣିର ଅମ୍ଳଜାନ ଧାରଣ କରିବାର କ୍ଷମତା ହ୍ରାସ ପାଏ।ପାଣିରେ କୌଣସି ହଲଚଲ ନହେଲେ ମଧ୍ୟ ବାୟୁମଣ୍ଡଳରୁ ଅମ୍ଳଜାନ ପାଣିରେ ସହଜରେ ମିଶିପାରେ ନାହିଁ।

ଲକ୍ଷଣ ଦେଖିଲେ ତୁରନ୍ତ କଣ କରିବେ?
ପୋଖରୀରେ ମାଛ ଅମ୍ଳଜାନ ଅଭାବରୁ ଉପରକୁ ଆସି ଶ୍ୱାସ ନେବା, ଭାସିବା କିମ୍ବା ଅଳସୁଆ ହେବାର ଲକ୍ଷଣ ଦେଖାଗଲେ ବିଳମ୍ବ ନକରି ତୁରନ୍ତ ଏହି ଜରୁରୀ ପଦକ୍ଷେପଗୁଡ଼ିକ ଅନୁସରଣ କରନ୍ତୁ:
- ବାଉଁଶ ବା ଲମ୍ବା ବାଡ଼ି ସାହାଯ୍ୟରେ ପୋଖରୀ ପାଣିକୁ ବାରମ୍ବାର ପିଟନ୍ତୁ କିମ୍ବା ପୋଖରୀରେ ପହଁରନ୍ତୁ/ଜାଲ ପକାଇ ଟାଣନ୍ତୁ। ଏହା ଦ୍ୱାରା ବାୟୁମଣ୍ଡଳରୁ ଅମ୍ଳଜାନ ସିଧାସଳଖ ପାଣିରେ ମିଶିବ।
- ନଳକୂପ ବା କୂଅରୁ ପମ୍ପ ସାହାଯ୍ୟରେ ତାଜା ପାଣି ଆଣି ଉପରୁ ଛିଞ୍ଚିବା ଭଳି ପୋଖରୀରେ ପକାନ୍ତୁ। ଏହା ପାଣିରେ ଅମ୍ଳଜାନ ସ୍ତରକୁ ଦ୍ରୁତ ଗତିରେ ବୃଦ୍ଧି କରେ।
- ଯଦି ପୋଖରୀରେ ଏରେଟର ବା ଆକ୍ୱା-ମେସିନ୍ ଅଛି, ତେବେ ଏହାକୁ ଡେରି ନକରି ତୁରନ୍ତ ଚାଲୁ କରିଦିଅନ୍ତୁ।
- ପୋଖରୀରେ ମାଛ ଖାଦ୍ୟ, କୁକୁଡ଼ା ମଳ, ଗୋବର କିମ୍ବା କୌଣସି ଜୈବିକ ଖତ ପକାଇବା ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ। ଖାଦ୍ୟ ପଚିଲେ ପାଣିରେ ଅମ୍ଳଜାନ ଆହୁରି ବହୁତ କମିଯାଏ।
- ମାଛ ଦୁକାନ ବା ଆକ୍ୱା ସେଣ୍ଟରରୁ ଆକ୍ୱା-ଅକ୍ସିଜେନ୍ (Sodium Percarbonate) ଟାବଲେଟ୍ ବା ପାଉଡର ଆଣି ପୋଖରୀର ଚାରିପାଖରେ ଓ ମଝିରେ ସିଞ୍ଚନ କରନ୍ତୁ।
- ପାଣିର ଗଭୀରତା ୩-୪ ଫୁଟ ଥିଲେ ୧୫ ରୁ ୨୫ କିଗ୍ରା ପ୍ରତି ଏକର ପିଛା ଶୁଖିଲା କଲି ଚୂନ ଆଣି ଗୋଟିଏ ବାଲ୍ଟିରେ ପାଣି ମିଶାଇ ଭଲଭାବେ ଗୋଳାନ୍ତୁ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ। ଚୂନ ପାଣିକୁ ପୋଖରୀର ସାରା ଚାରିପାଖରେ ଏବଂ ମଝିରେ ସମାନ ଭାବରେ ସିଞ୍ଚନ କରନ୍ତୁ।
- ଆବଶ୍ୟକ ପରିମାଣର ପୋଟାସିୟମ୍ ପାରମାଙ୍ଗାନେଟ୍ ଗୁଣ୍ଡକୁ ଗୋଟିଏ ବାଲ୍ଟି ପାଣିରେ ଭଲଭାବେ ମିଶାନ୍ତୁ। ପାଣିଟି ଗାଢ଼ ବାଇଗଣୀ (Purple) ରଙ୍ଗ ହୋଇଯିବ।ଏହି ମିଶ୍ରଣକୁ ପୋଖରୀ ସାରା ସିଞ୍ଚନ କରନ୍ତୁ।
- ଚୂନ ଓ ପୋଟାସ୍ ପ୍ରୟୋଗ କରିବା ଦିନ ପୋଖରୀରେ ମାଛ ଖାଦ୍ୟ ଦେବା ବନ୍ଦ ରଖନ୍ତୁ।


ଭବିଷ୍ୟତରେ ଏହି ସମସ୍ୟାକୁ କିପରି ରୋକିବେ?
- ମାଛମାନେ ୧୫-୨୦ ମିନିଟ୍ ମଧ୍ୟରେ ଯେତିକି ଖାଇପାରିବେ, ସେତିକି ହିଁ ଖାଦ୍ୟ ଦିଅନ୍ତୁ। ବଳକା ଖାଦ୍ୟ ପୋଖରୀ ତଳେ ଜମି ପଚିଯାଏ ଏବଂ ଅମ୍ଳଜାନ କମାଇଦିଏ।
- ପୋଖରୀରେ ଅତ୍ୟଧିକ କଞ୍ଛା ଗୋବର, କୁକୁଡ଼ା ଖତ ବା ସୋରିଷ ପେଡା ପକାନ୍ତୁ ନାହିଁ। ଖତ ପକାଇବା ପୂର୍ବରୁ ପାଣିର ରଙ୍ଗ ଓ ଗୁଣବତ୍ତା ଯାଞ୍ଚ କରନ୍ତୁ।
- ପୋଖରୀ ହୁଡ଼ାରେ ଥିବା ଗଛଗୁଡ଼ିକର ଡାଳ କାଟି ଦିଅନ୍ତୁ, ଯେପରି ପ୍ରତିଦିନ ଅନ୍ତତଃ ୬-୮ ଘଣ୍ଟା ସୂର୍ଯ୍ୟାଲୋକ ସିଧାସଳଖ ପାଣି ଉପରେ ପଡ଼ିପାରିବ। ସୂର୍ଯ୍ୟାଲୋକ ପାଇଲେ ପାଣିରେ ପ୍ରାକୃତିକ ଭାବେ ଅମ୍ଳଜାନ ତିଆରି ହୁଏ।
- ପ୍ରତି ମାସରେ ଥରେ ଏକର ପ୍ରତି ୧୦ ରୁ ୧୫ କିଗ୍ରା କଲିଚୂନ କିମ୍ବା ଆଗ୍ରୀ-ଲାଇମ୍ ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ। ଏହା pH ସ୍ତରକୁ ସନ୍ତୁଳିତ ରଖେ।
- ଜାଲ (Horra/Chain) ଟାଣି ପୋଖରୀ ତଳ ମାଟିକୁ ମଝିରେ ମଝିରେ ହଲଚଲ କରନ୍ତୁ, ଯାହା ଦ୍ୱାରା ତଳେ ଜମିଥିବା କ୍ଷତିକାରକ ଗ୍ୟାସ୍ ବାହାରିଯିବ।
- ସମ୍ଭବ ହେଲେ ପ୍ରତି ମାସରେ ୧୦-୧୫% ପୁରୁଣା ପାଣି ବାହାର କରି ନୂଆ/ତାଜା ପାଣି ପୋଖରୀରେ ପୂରାନ୍ତୁ।
- ପୋଖରୀର ଆକାର ଅନୁସାରେ ସଠିକ୍ ପରିମାଣର ମାଛ ଯାଆଁଳ ଛାଡ଼ନ୍ତୁ (ସାଧାରଣତଃ ଏକର ପ୍ରତି ୩,୦୦୦ ରୁ ୪,୦୦୦ ଯାଆଁଳ)। ଅଧିକ ମାଛ ରହିଲେ ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ଶୀଘ୍ର ସରିଯାଏ।

ଶେଷ କଥା
ମାଛ ଚାଷ କେବଳ ଏକ ପାରମ୍ପରିକ ଜୀବିକା ନୁହେଁ, ବରଂ ଏକ ସମୃଦ୍ଧ ଏବଂ ଅତ୍ୟନ୍ତ ଲାଭଜନକ ଆଧୁନିକ ବ୍ୟବସାୟ। ଏହି ଚାଷର ସଫଳତା ପ୍ରାଥମିକ ଭାବେ ସଠିକ୍ ଜଳ ପରିଚାଳନା, ଗୁଣାତ୍ମକ ଖାଦ୍ୟ ପ୍ରଦାନ ଏବଂ ନିୟମିତ ସ୍ୱାସ୍ଥ୍ୟ ନିରୀକ୍ଷଣ ଉପରେ ପର୍ଯ୍ୟବସିତ।
ପୋଖରୀରେ ଦ୍ରବୀଭୂତ ଅମ୍ଳଜାନର ଅଭାବ କିମ୍ବା ଜଳ ଦୂଷିତ ହେବା ଭଳି ସମସ୍ୟା ଦେଖାଦେଲେ, ତୁରନ୍ତ ବୈଜ୍ଞାନିକ ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ସମ୍ଭାବ୍ୟ ବଡ଼ ଧରଣର ଆର୍ଥିକ କ୍ଷତିକୁ ଏଡ଼ାଯାଇପାରିବ।
ପ୍ରଶ୍ନୋତ୍ତର
ପୋଖରୀରେ ଅକ୍ସିଜେନ୍ କେବେ ଅଧିକ କମିଯାଏ?
ସାଧାରଣତଃ ଭୋର ସମୟରେ ଓ ଲଗାତାର ବର୍ଷା ପରେ।
ଅକ୍ସିଜେନ୍ କମିଲେ ମାଛର ଲକ୍ଷଣ କଣ?
ମାଛ ପାଣିର ଉପରକୁ ଆସି ମୁହଁ ଖୋଲି ଶ୍ୱାସ ନେବାକୁ ଚେଷ୍ଟା କରେ।
ଏରେଟର୍ ନଥିଲେ କଣ କରିବେ?
ପାଣିକୁ ଚଳମାନ କରନ୍ତୁ, ଆଂଶିକ ପାଣି ପରିବର୍ତ୍ତନ କରନ୍ତୁ ଏବଂ କିଛି ସମୟ ପାଇଁ ଖାଦ୍ୟ ଦେବା ବନ୍ଦ କରନ୍ତୁ।
ବିଶେଷ ସୂଚନା
ଏହି ଲେଖା କେବଳ ସାଧାରଣ କୃଷି ସୂଚନା ପାଇଁ। ପୋଖରୀର ପରିସ୍ଥିତି ଅନୁଯାୟୀ ମତ୍ସ୍ୟ ବିଶେଷଜ୍ଞ କିମ୍ବା ସ୍ଥାନୀୟ ମତ୍ସ୍ୟ ବିଭାଗର ପରାମର୍ଶ ନିଅନ୍ତୁ।


