ବର୍ଷା ଋତୁରେ ବାଇଗଣ ଗଛର ଫଳରେ ପୋକ ଲାଗିବା ବଢ଼ିଯାଏ। ଠିକ୍ ସମୟରେ ନିୟନ୍ତ୍ରଣ ନ କଲେ ଅମଳ କମିଯାଏ। ମୁଁ ରତିକାନ୍ତ ଆଜି ଆପଣଙ୍କୁ ଜଣାଇବି ଏହି ଲେଖାରେ ବାଇଗଣ ଗଛର ଫଳରେ ପୋକ ଲାଗିବାର କାରଣ, ଲକ୍ଷଣ ଓ ନିୟନ୍ତ୍ରଣର ସହଜ ଉପାୟ ଗୁଡିକ ଜାଣନ୍ତୁ। ଯଦି ବୁଝିବାରେ କୌଣସି ସମସ୍ୟା ହେବ ତାହେଲେ ଆପଣ ମତେ କମେଣ୍ଟ ରେ ଜଣାନ୍ତୁ ।
ବାଇଗଣ ଗଛର ଫଳ ପୋକ ଲାଗେ କାହିଁକି?
ବାଇଗଣ ଗଛରେ ଫଳ ପୋକ ଲାଗିବାର ଅନେକ କାରଣ ରହିଛି। ସେଥିରୁ ପ୍ରମୁଖ କାରଣଗୁଡ଼ିକ ହେଲା :-
- ବର୍ଷା ପାଗ ଓ ଗରମ ପାଗ ଥିଲେ ବାଇଗଣ ଗଛରେ ଲାଗିଥିବା ପୋକ ବହୁତ ଶୀଘ୍ର ବଢ଼େ।
- ପୋକ ଲାଗିଥିବା ଫଳ କିମ୍ବା ଡାଳକୁ ଗଛରେ ରଖିଦେଲେ ସେଥିରୁ ନୂଆ ପୋକ ବାହାରି ଅନ୍ୟ ଫଳକୁ ଆକ୍ରମଣ କରିଥାଏ।
- ଗଛ ବହୁତ ଘଞ୍ଚ ହୋଇ ଲଗାଇଲେ ପବନ ଭଲ ଭାବରେ ଚଳାଚଳ କରିପାରେ ନାହିଁ, ଯାହା ଦ୍ୱାରା ବାଇଗଣ ଗଛରେ ଲାଗିଥିବା ପୋକ ବଢ଼ିବାକୁ ସାହାଯ୍ୟ କରେ।
- ଅଧିକ ନାଇଟ୍ରୋଜେନ ସାର ବ୍ୟବହାର କଲେ ଗଛରେ କୋମଳ ଡାଳ ବେଶି ବାହାରେ, ଯାହାକୁ ପୋକ ସହଜରେ ଆକ୍ରମଣ କରେ।
- ବାଇଗଣ ଗଛ ଲଗା ଯାଇଥିବା ଖେତରେ ଘାସ ଅଧିକ ରହିଲେ ପୋକ ସେଠାରେ ଲୁଚି ରହି ପରେ ବାଇଗଣ ଗଛକୁ ଆକ୍ରମଣ କରେ।
- ଗଛକୁ ନିୟମିତ ଯାଞ୍ଚ ନ କଲେ ଆରମ୍ଭରେ ପୋକ ଧରା ପଡ଼େ ନାହିଁ, ଫଳରେ ଏହା ଖୁବ ଶୀଘ୍ର ସମଗ୍ର ଖେତରେ ବ୍ୟାପିଯାଏ।
ଉପାରେ ଲେଖା ଯାଇଥିବା କାରଣଗୁଡ଼ିକ ଧ୍ୟାନରେ ରଖି ସମୟରେ ପଦକ୍ଷେପ ନେଲେ ବାଇଗଣ ଫସଲର ଫଳ ପୋକରୁ ବଞ୍ଚାଇହେବ।
ବାଇଗଣରେ ଲାଗୁଥିବା ପ୍ରମୁଖ ପୋକର ନାମ ଓ ଲକ୍ଷଣ
୧. ଫଳ ଓ ଡାଳ ବିନ୍ଧା ପୋକ
କେମିତି ଚିହ୍ନିବେ?
ଗଛର ନରମ କାଣ୍ଡ ବା ଡାଳଗୁଡ଼ିକ ଶୁଖିଯାଇ ତଳକୁ ଝୁଲିପଡ଼େ।ବାଇଗଣରେ ଛୋଟ ଛୋଟ କଣା ବା ଛିଦ୍ର ହୋଇଯାଏ।ସେହି କଣା ପାଖରେ ପୋକର ଗୁଣ୍ଡ ଗୁଣ୍ଡ ମଳ ଜମା ହୋଇଥିବାର ଦେଖାଯାଏ।ବାଇଗଣ ଭିତର ପଟୁ ପଚି ଯାଏ ଏବଂ ଖାଇବା ଅଯୋଗ୍ୟ ହୋଇପଡ଼େ। ଏହି ଲକ୍ଷଣ ଗୁଡ଼ିକ ଦେଖାଦେଲେ ଜଣାପଡ଼େ ଯେ ଗଛରେ ଫଳ ଓ ଡାଳ ବିନ୍ଧା ପୋକ ଲାଗିଛି ।

ନିୟନ୍ତ୍ରଣ କରିବାର ସହଜ ଉପାୟ ଗୁଡିକ
- ପ୍ରତି ୩ ରୁ ୪ ଦିନରେ କ୍ଷେତ ବୁଲି ଦେଖନ୍ତୁ। ଯେଉଁ ଡାଳଗୁଡ଼ିକ ଶୁଖି ଝୁଲି ପଡ଼ିଛି କିମ୍ବା ଯେଉଁ ଫଳରେ କଣା ଦେଖାଯାଉଛି, ତାକୁ ପୋକ ସହିତ କାଟି ଆଣନ୍ତୁ। ଏହାକୁ ଜମି ବାହାରେ ଗଭୀର ମାଟି ତଳେ ପୋତି ଦିଅନ୍ତୁ କିମ୍ବା ପୋଡ଼ି ଦିଅନ୍ତୁ। ଏହାଦ୍ୱାରା ପୋକଙ୍କ ବଂଶ ଆଗକୁ ବଢ଼ିପାରେ ନାହିଁ।
- ଗଛ ଲଗାଇବାର ୨୦-୨୫ ଦିନ ପରେ ଜମିରେ ଏକର ପିଛା ୪ ରୁ ୫ ଟି ଫେରୋମୋନ୍ ଟ୍ରାପ୍ ଲଗାନ୍ତୁ। ଏହା ପୁରୁଷ ପ୍ରଜାପତିମାନଙ୍କୁ ଆକର୍ଷିତ କରି ମାରିଦିଏ, ଯାହାଦ୍ୱାରା ଅଣ୍ଡା ଦେବା ପ୍ରକ୍ରିୟା ବନ୍ଦ ହୋଇଯାଏ।
- ଫୁଲ ଆସିବା ସମୟରୁ ହିଁ ପ୍ରତି ୧୦ ରୁ ୧୫ ଦିନରେ Neem Oil (୧୦,୦୦୦ ppm) ୨ ରୁ ୩ ମିଲି ଲିଟର ପ୍ରତି ଲିଟର ପାଣିରେ ମିଶାଇ ଗଛରେ ସ୍ପ୍ରେ କରନ୍ତୁ। ଏହା ଗଛ ଉପରେ ପ୍ରଜାପତିଙ୍କୁ ଅଣ୍ଡା ଦେବାକୁ ଦିଏ ନାହିଁ।
- ନିମ୍ବ ପତ୍ର, ଶୁଖିଲା ଲଙ୍କା, ରସୁଣ ଏବଂ ଗୋ ମୂତ୍ରକୁ ମିଶାଇ ପ୍ରସ୍ତୁତ କରାଯାଇଥିବା ଜୈବିକ କୀଟନାଶକ ସ୍ପ୍ରେ କଲେ ଏହାର ତୀବ୍ର ଗନ୍ଧ ଯୋଗୁଁ ପୋକ ଦୂରେଇ ରୁହନ୍ତି।
- ଏକର ପିଛା ୨ ରୁ ୩ ଟି ଟ୍ରାଇକୋଗ୍ରାମା ପରଜୀବୀ କାର୍ଡ ଜମିରେ ଲଗାନ୍ତୁ। ଏହି ଉପକାରୀ ପୋକଗୁଡ଼ିକ ବିନ୍ଧା ପୋକର ଅଣ୍ଡାକୁ ନଷ୍ଟ କରିଦିଅନ୍ତି।
- Chlorantraniliprole (Coragen 18.5% SC): ୦.୪ ମିଲି ଲିଟର ପ୍ରତି ଲିଟର ପାଣିରେ (୧୫ ଲିଟର ଟାଙ୍କିରେ ୬ ମିଲି ଲିଟର) ମିଶାଇ ସ୍ପ୍ରେ କରନ୍ତୁ। ଏହା ବହୁତ ପ୍ରଭାବଶାଳୀ।
- Emamectin Benzoate (5% SG): ୦.୫ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ।
- Flubendiamide (Fame 480 SC): ୦.୩ ମିଲି ଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ।
- Spinosad (45% SC): ୦.୩ ମିଲି ଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ।
୨. ଜାବ ପୋକ (ଛୋଟ ପୋକ)
କେମିତି ଚିହ୍ନିବେ?
ପତ୍ରର ପଛ ପଟରେ ଗୋଛା ଗୋଛା ହୋଇ କଳା କିମ୍ବା ସବୁଜ ରଙ୍ଗର ଛୋଟ ଛୋଟ ପୋକ ବସିଥାନ୍ତି।ଗଛର ରସ ଶୋଷି ନେବା ଯୋଗୁଁ ପତ୍ରଗୁଡ଼ିକ କୁଞ୍ଚୁ କୁଞ୍ଚିଆ ହୋଇ ହଳଦିଆ ପଡ଼ିଯାଏ ଓ ଗଛ ବଢ଼ିବା ବନ୍ଦ ହୋଇଯାଏ। ଏହି ସବୁ ଲକ୍ଷଣ ଗୁଡ଼ିକ ଦେଖାଦେଲେ ଜାଣିବେ ବାଇଗଣ କ୍ଷେତରେ ଜାବ ପୋକ ଲାଗିଛି ।

ନିୟନ୍ତ୍ରଣ କରିବାର ସହଜ ଉପାୟ ଗୁଡିକ
- ଜାବ ପୋକମାନେ ହଳଦିଆ ରଙ୍ଗ ପ୍ରତି ଖୁବ୍ ଆକର୍ଷିତ ହୁଅନ୍ତି। ଜମିରେ ଏକର ପିଛା ୬ ରୁ ୮ ଟି ହଳଦିଆ ଅଠାଳିଆ କାର୍ଡ ଲଗାଇଲେ ଉଡ଼ନ୍ତା ପୋକଗୁଡ଼ିକ ସେଥିରେ ଲାଗି ମରିଯାନ୍ତି।
- ଯଦି ଗଛରେ ପୋକ ପ୍ରାରମ୍ଭିକ ଅବସ୍ଥାରେ ଅଛନ୍ତି, ତେବେ ସ୍ପ୍ରେୟାର ସାହାଯ୍ୟରେ ଜୋରରେ ପାଣି ମାରି ପତ୍ର ପଛପଟ ଧୋଇ ଦେଲେ ପୋକଗୁଡ଼ିକ ତଳେ ଖସିପଡ଼ନ୍ତି ଏବଂ ପିମ୍ପୁଡ଼ିମାନେ ସେମାନଙ୍କୁ ଖାଇଯାନ୍ତି।
- ୫ ମିଲି ଲିଟର ନିମ୍ବ ତେଲ ଏବଂ ୨ ଗ୍ରାମ ସାବୁନ ଗୁଣ୍ଡ (କିମ୍ବା ସାମ୍ପୁ) କୁ ୧ ଲିଟର ଉଷୁମ ପାଣିରେ ଭଲଭାବେ ଗୋଳାଇ ସ୍ପ୍ରେ କରନ୍ତୁ। ଏହା ଜାବ ପୋକ ନିୟନ୍ତ୍ରଣ ପାଇଁ ସବୁଠାରୁ ସହଜ ଓ ସୁରକ୍ଷିତ ଉପାୟ।
- କେବଳ ଲିକ୍ୱିଡ୍ ସୋପ୍ କିମ୍ବା ସାମ୍ପୁ (୩ ରୁ ୪ ମିଲି ଲିଟର ପ୍ରତି ଲିଟର ପାଣିରେ) ମିଶାଇ ସ୍ପ୍ରେ କଲେ ପୋକଙ୍କ ଶରୀରର ବାହ୍ୟ ଆବରଣ ନଷ୍ଟ ହୋଇଯାଏ ଏବଂ ସେମାନେ ମରିଯାନ୍ତି।
- ବାଇଗଣ କ୍ଷେତରେ ଥିବା ‘ଲେଡିବର୍ଡ ବିଟଲ୍’ (Ladybird Beetle/ଗୋବରୀ ପୋକ) ଜାବ ପୋକଙ୍କୁ ଖାଇ ବଞ୍ଚନ୍ତି। ତେଣୁ ଏମାନଙ୍କୁ ଜମିରେ ଦେଖିଲେ ମାରନ୍ତୁ ନାହିଁ।
- Imidacloprid (ଇମିଡାକ୍ଲୋପ୍ରିଡ୍ 17.8% SL): ୦.୫ ମିଲି ଲିଟର କୁ ୧ ଲିଟର ପାଣିରେ ମିଶାଇ ଗଛରେ ସ୍ପ୍ରେ କରନ୍ତୁ।
- Thiamethoxam (ଥିଆମେଥୋକ୍ସାମ୍ 25% WG): ୦.୫ ଗ୍ରାମ କୁ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ।
- Dimethoate (ଡାଇମେଥୋଏଟ୍ 30% EC): ୨ ମିଲି ଲିଟର କୁ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ।
୩. ଧଳା ମାଛି
କେମିତି ଚିହ୍ନିବେ?
ଗଛକୁ ହାଲୁକା ହଲାଇଲେ କିମ୍ବା ପତ୍ରକୁ ଛୁଇଁଲେ ଧଳା ରଙ୍ଗର ଛୋଟ ଛୋଟ ମାଛି ଏକାସାଥିରେ ଉଡ଼ିଯାଏ।ପତ୍ରର ତଳ ପଟେ ଏହି ମାଛିମାନେ ବସି ଗଛର ରସ ଶୋଷିଥାନ୍ତି।ଏହାର ପ୍ରଭାବରେ ପତ୍ର ଧୀରେ ଧୀରେ ହଳଦିଆ ହୋଇ ଶୁଖିଯାଏ।ଗଛ ଦୁର୍ବଳ ହୋଇଯାଏ ଏବଂ ଫୁଲ ଓ ଫଳ କମ୍ ଆସେ।ଧଳା ମାଛି ଭାଇରସ୍ ରୋଗ ମଧ୍ୟ ବ୍ୟାପାଇଥାଏ, ଯାହା ଫଳରେ ଗଛର ପତ୍ର କୁଞ୍ଚିଯାଏ ଓ ବୃଦ୍ଧି ଠିକ୍ ଭାବରେ ହୁଏ ନାହିଁ।

ନିୟନ୍ତ୍ରଣ କରିବାର ସହଜ ଉପାୟ ଗୁଡିକ
- ହଳଦିଆ ଷ୍ଟିକି ଟ୍ରାପ୍ (Yellow Sticky Trap) ଖେତରେ ଲଗାନ୍ତୁ। ଏଥିରେ ଧଳା ମାଛି ଆକର୍ଷିତ ହୋଇ ଲାଗିଯାଏ ଏବଂ ସଂଖ୍ୟା କମିଯାଏ।
- ଖେତକୁ ସଫା ରଖନ୍ତୁ ଏବଂ ଆଗାଛା ନିୟମିତ ହଟାନ୍ତୁ, କାରଣ ଆଗାଛାରେ ଧଳା ମାଛି ବଢ଼ିଥାଏ।
- ଅଧିକ ନାଇଟ୍ରୋଜେନ ସାର ଦିଅନ୍ତୁ ନାହିଁ, ଏହା ଧଳା ମାଛିର ଆକ୍ରମଣ ବଢ଼ାଇପାରେ।
- ନିମ ତେଲ କିମ୍ବା ନିମ ଆଧାରିତ ଜୈବ ଉତ୍ପାଦକୁ ସ୍ପ୍ରେ କରନ୍ତୁ।
- ଆକ୍ରାନ୍ତ ପତ୍ରକୁ କାଟି ନଷ୍ଟ କରନ୍ତୁ, ଯାହାଦ୍ୱାରା ପୋକ ଅନ୍ୟ ଗଛକୁ ବ୍ୟାପିବ ନାହିଁ।
- ଆକ୍ରମଣ ବହୁତ ବେଶି ହେଲେ, ଇମିଡାକ୍ଲୋପ୍ରିଡ୍ (Imidacloprid), ଥାଇଆମେଥୋକ୍ସାମ୍ (Thiamethoxam), ଏସିଟାମିପ୍ରିଡ୍ (Acetamiprid), ଫ୍ଲୋନିକାମିଡ୍ (Flonicamid) କୀଟନାଶକ ନିର୍ଦ୍ଦିଷ୍ଟ ମାତ୍ରାରେ ବ୍ୟବହାର କରନ୍ତୁ ।
୪. ଲାଲ୍ ମାଇଟ୍ (ନାଲି ବୁଢ଼ିଆଣୀ ପୋକ)
କେମିତି ଚିହ୍ନିବେ?
ପତ୍ର ଉପରେ ଛୋଟ ଛୋଟ ହଳଦିଆ ରଙ୍ଗର ବିନ୍ଦୁ ବା ଦାଗ ଦେଖାଯାଏ।ପତ୍ରଗୁଡ଼ିକ ଧୀରେ ଧୀରେ ଶୁଖିଯାଇ ବାଦାମୀ (ମାଟିଆ) ରଙ୍ଗର ହୋଇଯାଏ।ପତ୍ରର ପଛ ପଟରେ ସୂକ୍ଷ୍ମ ବୁଢ଼ିଆଣୀ ଜାଲ ଭଳିଆ ସୂତା ଦେଖିବାକୁ ମିଳେ। ଏହା ଲାଲ୍ ମାଇଟ୍ ବା ନାଲି ବୁଢ଼ିଆଣୀ ପୋକ ଲାଗିବାର ସଙ୍କେତ ଅଟେ।

ନିୟନ୍ତ୍ରଣ କରିବାର ସହଜ ଉପାୟ ଗୁଡିକ
- ମାଇଟ୍ ସାଧାରଣତଃ ଶୁଖିଲା ଏବଂ ଗରମ ପାଗରେ ବେଶୀ ବଢ଼ନ୍ତି। ତେଣୁ, ଗଛର ପତ୍ରଗୁଡ଼ିକର ପଛ ପଟକୁ ତେଜ୍ ପାଣି ସ୍ପ୍ରେ କରି ଧୋଇ ଦେଲେ ସେମାନଙ୍କ ଜାଲ ଭାଙ୍ଗିଯାଏ ପୋକ ଗଛରୁ ଖସିପଡ଼ନ୍ତି।
- ୫ ମିଲି ଲିଟର ନିମ୍ବ ତେଲ ଏବଂ ୧ ରୁ ୨ ଗ୍ରାମ ସରପ୍ ଗୁଣ୍ଡ କୁ ୧ ଲିଟର ପାଣିରେ ଭଲଭାବେ ମିଶାଇ ପତ୍ରର ତଳ ପାଖରେ ସ୍ପ୍ରେ କରନ୍ତୁ। ଏହା ମାଇଟ୍ଙ୍କ ବଂଶ ବୃଦ୍ଧି ରୋକେ।
- ମାଇଟ୍ ନିୟନ୍ତ୍ରଣ ପାଇଁ ଗନ୍ଧକ ବହୁତ ଭଲ କାମ କରେ। ଆପଣ Wet table Sulphur (୮୦% WP) ୩ ଗ୍ରାମକୁ ୧ ଲିଟର ପାଣିରେ ମିଶାଇ ଗଛରେ ସ୍ପ୍ରେ କରିପାରିବେ।
- Spiromesifen (Oberon): ୧ ମିଲି ଲିଟର କୁ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ।କିମ୍ବା Abamectin: ୦.୫ ମିଲି ଲିଟର କୁ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ।କିମ୍ବା Propargite (Omite): ୨ ମିଲି ଲିଟର କୁ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ।
୫. ଥ୍ରିପ୍ସ (ଉକୁଣିଆ ପୋକ)
କେମିତି ଚିହ୍ନିବେ?
ପତ୍ରଗୁଡ଼ିକ ଉପରେ ରୂପା (Silver) ରଙ୍ଗର ଚମକୁଥିବା ଦାଗ ପଡ଼ିଯାଏ।ପତ୍ରଗୁଡ଼ିକ ଉପର ଆଡ଼କୁ କୁଞ୍ଚିଯାଏ।ଏମାନେ ଗଛର ନୂଆ ପତ୍ର ଏବଂ ଫୁଲଗୁଡ଼ିକୁ ଚୋବାଇ ନଷ୍ଟ କରିଦିଅନ୍ତି, ଯାହାଦ୍ୱାରା ଫୁଲ ଝଡ଼ିଯାଏ।

ନିୟନ୍ତ୍ରଣ କରିବାର ସହଜ ଉପାୟ ଗୁଡିକ
- ଥ୍ରିପ୍ସ ପୋକମାନେ ନୀଳ ରଙ୍ଗ ପ୍ରତି ବହୁତ ଆକର୍ଷିତ ହୁଅନ୍ତି। ଜମିରେ ଏକର ପିଛା ୬ ରୁ ୮ଟି ନୀଳ ରଙ୍ଗର ଅଠାଳିଆ କାର୍ଡ ବା ଯନ୍ତା ଲଗାଇଲେ, ଉଡ଼ନ୍ତା ପୋକଗୁଡ଼ିକ ସେଥିରେ ଅଠା ଭଳି ଲାଗି ମରିଯାନ୍ତି।
- ବାଇଗଣ କ୍ଷେତରେ ଯେପରି ଅନାବନା ଘାସ ନ ରୁହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ, କାରଣ ଏହି ପୋକମାନେ ଘାସରେ ଲୁଚି ରୁହନ୍ତି। ଗଛ ଉପରେ ଜୋରରେ ପାଣି ସ୍ପ୍ରେ କଲେ ମଧ୍ୟ ଏମାନଙ୍କ ସଂଖ୍ୟା କମିଯାଏ।
- ପୋକର ପ୍ରାରମ୍ଭିକ ଅବସ୍ଥାରେ Azadirachtin (Neem Oil) 10,000 ppm ରୁ ୨ ରୁ ୩ ମିଲି ଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ। ଏହା ପୋକଙ୍କୁ ଅଣ୍ଡା ଦେବାରୁ ରୋକିଥାଏ।
- ବଜାରରେ ମିଳୁଥିବା ଉପକାରୀ କବକ (Fungi) Verticillium lecanii କିମ୍ବା Beauveria bassiana ୫ ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସଞ୍ଜ ବେଳେ ସ୍ପ୍ରେ କଲେ ଥ୍ରିପ୍ସ ପ୍ରାକୃତିକ ଭାବେ ମରିଯାନ୍ତି।
- Fipronil (ଫିପ୍ରୋନିଲ୍ 5% SC): ୨ ମିଲି ଲିଟର କୁ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ। (ଏହା ଥ୍ରିପ୍ସ ପାଇଁ ବହୁତ ଭଲ କାମ କରେ)।
- Imidacloprid (ଇମିଡାକ୍ଲୋପ୍ରିଡ୍ 17.8% SL): ୦.୫ ମିଲି ଲିଟର କୁ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ।
- Spinosad (ସ୍ପିନୋସାଡ୍ 45% SC): ୦.୩ ମିଲି ଲିଟର କୁ ୧ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ (ଅଧିକ ଆକ୍ରମଣ ଥିଲେ ଏହା ସବୁଠାରୁ ପ୍ରଭାବଶାଳୀ)।
- Thiamethoxam (ଥିଆମେଥୋକ୍ସାମ୍ 25% WG): ୦.୫ ଗ୍ରାମ କୁ ୧ ଲିଟର ପାଣିରେ ମିଶାଇ ଗଛରେ ସ୍ପ୍ରେ କରନ୍ତୁ।
ଉପସଂହାର
ବାଇଗଣ ଚାଷକୁ ଲାଭଜନକ କରିବା ପାଇଁ ପୋକ ଏବଂ ରୋଗର ସଠିକ୍ ସମୟରେ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ। କେବଳ ମାତ୍ରାଧିକ ରାସାୟନିକ କୀଟନାଶକ ଉପରେ ନିର୍ଭର ନକରି, ଚାଷୀ ଭାଇମାନେ ପ୍ରାରମ୍ଭିକ ଅବସ୍ଥାରେ ଜୈବିକ ଉପାୟ, ଫେରୋମୋନ୍ ଓ ଅଠାଳିଆ ଯନ୍ତା ଏବଂ ନିମ୍ବ ପ୍ରସ୍ତୁତ ଔଷଧ ବ୍ୟବହାର କରିବା ଉଚିତ୍। ଏହାଦ୍ୱାରା ଚାଷ ଖର୍ଚ୍ଚ କମିବା ସହ ପରିବେଶ ଏବଂ ସ୍ୱାସ୍ଥ୍ୟ ସୁରକ୍ଷିତ ରହିବ। ନିୟମିତ କ୍ଷେତ ପରିଦର୍ଶନ ଏବଂ ସଠିକ୍ ପରିଚାଳନା ହିଁ ବାଇଗଣ ଚାଷରେ ଅଧିକ ଅମଳ ଆଣିଦେଇପାରିବ।
ପଚରାଯାଉଥିବା ପ୍ରଶ୍ନ (FAQ)
1. ବାଇଗଣ ଗଛର ଫଳରେ ପୋକ କାହିଁକି ଲାଗେ?
ଗରମ ଓ ଆର୍ଦ୍ର ପାଗ, ଅଧିକ ଘାସ, ଘନ ଚାଷ ଏବଂ ନିୟମିତ ନିରୀକ୍ଷଣ ନ କରିବା ହେଉଛି ଏହାର ପ୍ରମୁଖ କାରଣ।
2. ବାଇଗଣରେ ଫଳ ପୋକର ପ୍ରଥମ ଲକ୍ଷଣ କଣ?
କୋମଳ ଡାଳ ଶୁଖିଯିବା ଏବଂ ଫଳରେ ଛୋଟ ଛିଦ୍ର ଦେଖାଯିବା ହେଉଛି ଏହାର ପ୍ରଥମ ଲକ୍ଷଣ।
3. ବାଇଗଣ ଗଛରେ ଧଳା ମାଛିକୁ କିପରି ଚିହ୍ନିବେ?
ପତ୍ରକୁ ଛୁଇଁଲେ ଧଳା ରଙ୍ଗର ଛୋଟ ଛୋଟ ମାଛି ଉଡ଼ିଯାଏ ଏବଂ ପତ୍ର ହଳଦିଆ ହେବା ଆରମ୍ଭ କରେ।
4. ଥ୍ରିପ୍ସ ଓ ଲାଲ୍ ମାଇଟ୍ ନିୟନ୍ତ୍ରଣର ସହଜ ଉପାୟ କଣ?
ଖେତ ସଫା ରଖିବା, ଷ୍ଟିକି ଟ୍ରାପ୍ ବ୍ୟବହାର କରିବା, ନିମ ଆଧାରିତ ଜୈବ ଉତ୍ପାଦ ବ୍ୟବହାର କରିବା ଏବଂ ପ୍ରୟୋଜନ ହେଲେ ଅନୁମୋଦିତ କୀଟନାଶକ ବ୍ୟବହାର କରିବା।
5. ବାଇଗଣ ଗଛକୁ ପୋକରୁ କିପରି ସୁରକ୍ଷିତ ରଖିବେ?
ନିୟମିତ ଗଛ ଯାଞ୍ଚ କରନ୍ତୁ, ପୋକ ଲାଗିଥିବା ଫଳ ଓ ପତ୍ରକୁ ହଟାନ୍ତୁ, ଖେତକୁ ଘାସ ମୁକ୍ତ ରଖନ୍ତୁ ଏବଂ ସମନ୍ୱିତ ପୋକ ପରିଚାଳନା (IPM) ଅନୁସରଣ କରନ୍ତୁ।
ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ସତର୍କତା
ଏଠାରେ ଦିଆଯାଇଥିବା ତଥ୍ୟ କେବଳ ଚାଷୀ ଭାଇମାନଙ୍କ ସଚେତନତା ଓ ସାଧାରଣ ସୂଚନା ପାଇଁ ପ୍ରସ୍ତୁତ କରାଯାଇଛି। ମାଟିର ପ୍ରକାର, ପାଣିପାଗ ଏବଂ ରୋଗର ମାତ୍ରା ଅନୁସାରେ ଏହାର ପ୍ରଭାବ ଭିନ୍ନ ହୋଇପାରେ।
ବଜାରରୁ କୀଟନାଶକ କିଣିବା ପରେ, ସେଥିରେ ଲେଖାଯାଇଥିବା ବ୍ୟବହାରର ସଠିକ୍ ମାତ୍ରା ଓ ସତର୍କତାକୁ ଭଲଭାବେ ପଢ଼ି ନିଅନ୍ତୁ।
ଔଷଧ ସ୍ପ୍ରେ କରିବା ସମୟରେ ହାତରେ ଗ୍ଲୋବ୍ସ, ମୁହଁରେ ମାସ୍କ ଏବଂ ଆଖିରେ ଚଷମା ନିଶ୍ଚିତ ବ୍ୟବହାର କରନ୍ତୁ।

