ବର୍ଷା ଋତୁ ଗାଈଗୋରୁଙ୍କ ପାଇଁ ଏକ ସମ୍ବେଦନଶୀଳ ସମୟ। ଏହି ସମୟରେ ଅଧିକ ବର୍ଷା, ଆର୍ଦ୍ରତା, କାଦୁଅ ଏବଂ ଅସ୍ୱଚ୍ଛ ପରିବେଶ ଯୋଗୁଁ ବିଭିନ୍ନ ବ୍ୟାକ୍ଟେରିଆ, ଭାଇରସ୍ ଓ ପରଜୀବୀ ଦ୍ରୁତ ଗତିରେ ବ୍ୟାପିଥାନ୍ତି। ଫଳରେ ଗାଈଗୋରୁ ସାହାଣା ରୋଗ (HS), ଅଡେଇ ଦିନିଆ ଜ୍ୱର, ବ୍ଲାକ୍ କ୍ୱାର୍ଟର (BQ) ଏବଂ ଖୁରା-ମୁହଁ ରୋଗ (FMD) ପରି ଗୁରୁତର ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ଏହି ରୋଗଗୁଡ଼ିକ ସମୟରେ ଚିହ୍ନଟ ଓ ଚିକିତ୍ସା ନ କରାଗଲେ କ୍ଷୀର ଉତ୍ପାଦନ କମିବା ସହ ପଶୁର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇପାରେ।
ତେଣୁ ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ ଟିକାକରଣ, ଗୁହାଳର ସଫାସୁତରା, ସନ୍ତୁଳିତ ଖାଦ୍ୟ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଅତ୍ୟନ୍ତ ଜରୁରୀ। ଏହି ଲେଖାରେ ବର୍ଷାଦିନେ ଗାଈଗୋରୁଙ୍କୁ ହେଉଥିବା ୪ଟି ସାଧାରଣ ରୋଗ, ସେମାନଙ୍କର ଲକ୍ଷଣ ଏବଂ ପ୍ରତିରୋଧ ଉପାୟ ବିଷୟରେ ସହଜ ଭାଷାରେ ଜାଣିବା।
୧. ସାହାଣା ରୋଗ
ସାହାଣା ରୋଗ ବା Hemorrhagic Septicemia ଗୋରୁଗାଈ ଓ ମଇଁଷିମାନଙ୍କ ପାଇଁ ଏକ ବହୁତ ମାରାତ୍ମକ ରୋଗ। ଏହା ବିଶେଷ କରି ବର୍ଷା ଦିନେ ଅଧିକ ଦେଖାଯାଏ।

ରୋଗ ହେଲେ କେମିତି ଜାଣିବେ?
- ହଠାତ୍ ପ୍ରବଳ ଜ୍ୱର ହେବା: ଗୋରୁର ଶରୀର ହଠାତ୍ ଖୁବ୍ ଗରମ ହୋଇଯାଏ ପ୍ରାୟ ୧୦୫ ରୁ ୧୦୭ ଡିଗ୍ରୀ ଫାରେନହାଇଟ୍।
- ଗଳା ଓ ଛାତି ଫୁଲିଯିବା: ପଶୁର ବେକ, ଗଳା ଏବଂ ଛାତି ପାଖ ଫୁଲିଯାଏ। ଛୁଇଁଲେ ତାକୁ ବହୁତ କଷ୍ଟ ହୁଏ।
- ଶ୍ୱାସ ନେବାରେ କଷ୍ଟ: ନିଶ୍ୱାସ ନେବା ବେଳେ ଘଡ଼ ଘଡ଼ ଶବ୍ଦ ହୁଏ ଏବଂ ଜିଭ ବାହାରକୁ ବାହାରିପଡ଼େ। ପାଟିରୁ ଲାଳ ବୁହେ।
- ଖାଇବା ପିଇବା ବନ୍ଦ: ଗୋରୁଟି ସମ୍ପୂର୍ଣ୍ଣ ଭାବେ ଘାସ-କୁଣ୍ଡା ଖାଇବା ବନ୍ଦ କରିଦିଏ ଏବଂ ଜୋରରେ ଆଖି ନାଲି ପଡ଼ିଯାଏ।
ରୋଗରୁ ରକ୍ଷା ପାଇବାର ଉପାୟ
- ବର୍ଷା ଦିନ ଆରମ୍ଭ ହେବା ପୂର୍ବରୁ ମେ-ଜୁନ୍ ମାସ ସୁଦ୍ଧା ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ଯୋଗାଯୋଗ କରି ଗୋରୁମାନଙ୍କୁ HS ଟିକା ନିଶ୍ଚୟ ଦିଅନ୍ତୁ।
- ଗୋରୁ ଶୋଉଥିବା ଜାଗା ବା ଗୁହାଳକୁ ସବୁବେଳେ ସଫା-ସୁତୁରା ଓ ଶୁଖିଲା ରଖନ୍ତୁ। ମଳ-ମୂତ୍ର ଜମିବାକୁ ଦିଅନ୍ତୁ ନାହିଁ।
- ଯଦି କୌଣସି ଗୋରୁ ଗୁହାଳରେ ଅସୁସ୍ଥ ଦେଖାଯାଏ, ତେବେ ତାକୁ ତୁରନ୍ତ ଅନ୍ୟ ଭଲ ଗୋରୁମାନଙ୍କ ଠାରୁ ଦୂରେଇ ଅଲଗା ଜାଗାରେ ବାନ୍ଧନ୍ତୁ ଏବଂ ଡାକ୍ତରଙ୍କୁ ଦେଖାନ୍ତୁ।
ଏହି ରୋଗ ହେଲେ ପଶୁ ବଞ୍ଚିବା କଷ୍ଟକର, ତେଣୁ ଆଗୁଆ ସାବଧାନତା ହିଁ ଏକମାତ୍ର ଉପାୟ।
୨. ଅଡେଇ ଦିନିଆ ଜ୍ୱର
ଅଡେଇ ଦିନିଆ ଜ୍ୱର ବା ଯାହାକୁ ଆମେ ସାଧାରଣତଃ “ଭାଙ୍ଗରା ଜ୍ୱର” ବୋଲି ମଧ୍ୟ କହିଥାଉ, ଏହା ମଶା ଏବଂ ଡାଂଶ କାମୁଡ଼ିବା ଦ୍ୱାରା ଗୋରୁଗାଈମାନଙ୍କୁ ହୋଇଥାଏ। ଏହି ରୋଗ ହେଲେ ପଶୁ ୨ ରୁ ୩ ଦିନ ଯାଏଁ ଖୁବ୍ କଷ୍ଟ ପାଏ।
ରୋଗ ହେଲେ କେମିତି ଜାଣିବେ?
- ଗୋରୁର ଶରୀର ହଠାତ୍ ଗରମ ହୋଇଯାଏ ଏବଂ ସେ ଖାଇବା ପିଇବା କମାଇ ଦିଏ। ଆଖି ଓ ନାକରୁ ପାଣି ବୁହେ।
- ରୋଗ ଆକ୍ରାନ୍ତ ଗୋରୁ ଠିଆ ହେବାକୁ କଷ୍ଟ ପାଏ। ଚାଲିଲା ବେଳେ ଗୋଡ଼ ଛୋଟାଏ ଏବଂ ଶରୀର ଥରେ।
- ପଶୁର ଗଣ୍ଠି ଏବଂ ମାଂସପେଶୀ ଗୁଡ଼ିକ ଟାଣ ହୋଇଯାଏ, ଯାହାଫଳରେ ସେ ବହୁତ କଷ୍ଟ ଅନୁଭବ କରେ ଏବଂ ଅଧିକ ସମୟ ଶୋଇ ରହେ।
- ଦୁଗ୍ଧବତୀ ଗାଈମାନଙ୍କର କ୍ଷୀର ଦେବା ପରିମାଣ ହଠାତ୍ ବହୁତ କମିଯାଏ।
ରୋଗରୁ ରକ୍ଷା ପାଇବାର ଉପାୟ
- ଗୁହାଳରେ ଯେପରି ମଶା, ମାଛି କିମ୍ବା ଡାଂଶ ନ ହେବେ, ସେଥିପାଇଁ ନିୟମିତ ମଶାତେଲ କିମ୍ବା ନିମପତ୍ର ଧୂଆଁ ଦିଅନ୍ତୁ।
- ଗୁହାଳ ଆଖପାଖରେ କାଦୁଅ କିମ୍ବା ମଇଳା ପାଣି ଜମିବାକୁ ଦିଅନ୍ତୁ ନାହିଁ, କାରଣ ଏଥିରେ ମଶା ବଂଶ ବୃଦ୍ଧି କରନ୍ତି।
- ପଶୁଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସେମାନଙ୍କୁ ନିୟମିତ ସନ୍ତୁଳିତ ଦାନା, ସବୁଜ ଘାସ ଏବଂ ମିନେରାଲ୍ ପାଣି (ଖଣିଜ ଲବଣ) ଖାଇବାକୁ ଦିଅନ୍ତୁ।
ଏହି ରୋଗ ମଶା ଓ କୀଟପତଙ୍ଗଙ୍କ ଦ୍ୱାରା ବ୍ୟାପିଥାଏ, ତେଣୁ ଗୁହାଳର ସଫା-ସୁତୁରା ହିଁ ଏହାର ମୁଖ୍ୟ ପ୍ରତିକାର।
୩. ବ୍ଲାକ୍ କ୍ୱାର୍ଟର
ବ୍ଲାକ୍ କ୍ୱାର୍ଟର ଯାହାକୁ ଗାଁ ଗହଳିରେ “ଚଟୁଆ ରୋଗ” କିମ୍ବା “ବାଦଲା ରୋଗ” ବୋଲି କୁହାଯାଏ, ଏହା ଗୋରୁଗାଈ ଓ ମଇଁଷିମାନଙ୍କ ପାଇଁ ଏକ ଅତି ଭୟଙ୍କର ରୋଗ। ଏହି ରୋଗ ହେଲେ ପଶୁକୁ ବଞ୍ଚାଇବା ପାଇଁ ବହୁତ କମ୍ ସମୟ ମିଳିଥାଏ।
ରୋଗ ହେଲେ କେମିତି ଜାଣିବେ?
- ରୋଗ ଆକ୍ରାନ୍ତ ପଶୁର ଶରୀର ହଠାତ୍ ଖୁବ୍ ଜୋରରେ ଗରମ ହୋଇଯାଏ ଏବଂ ସେ ଜଡ଼ ପରି ପଡ଼ିରହେ।
- ପଶୁର ପଛ ଗୋଡ଼, କାନ୍ଧ କିମ୍ବା ପିଠିର ମାଂସପେଶୀ ବହୁତ ଫୁଲିଯାଏ। ଏହି ଫୁଲା ଜାଗାଟି ପ୍ରଥମେ ଗରମ ଓ ପରେ ଥଣ୍ଡା ପଡ଼ିଯାଏ। ସବୁଠୁ ବଡ଼ କଥା ହେଲା, ସେହି ଫୁଲା ଜାଗାକୁ ହାତରେ ଚିପିଲେ ‘ଚଡ଼ ଚଡ଼’ ବା ଶୁଖିଲା ପତ୍ର ଦଳିଲା ଭଳି ଶବ୍ଦ ହୁଏ।
- ଗୋଡ଼ ବିନ୍ଧିବା ଓ ଫୁଲିବା ଯୋଗୁଁ ଗୋରୁଟି ଜୋରରେ ଛୋଟାଏ ଏବଂ କିଛି ସମୟ ପରେ ସମ୍ପୂର୍ଣ୍ଣ ଭାବେ ଠିଆ ହେବା ବନ୍ଦ କରିଦିଏ।
- ଏହି ରୋଗ ଏତେ ମାରାତ୍ମକ ଯେ ଲକ୍ଷଣ ଦେଖାଯିବାର ୧୨ ରୁ ୨୪ ଘଣ୍ଟା ଭିତରେ ପଶୁର ହଠାତ୍ ମୃତ୍ୟୁ ହୋଇଯାଇଥାଏ।
ରୋଗରୁ ରକ୍ଷା ପାଇବାର ଉପାୟ
- ବର୍ଷା ଦିନ ଆସିବା ପୂର୍ବରୁ (ମେ-ଜୁନ୍ ମାସ ଭିତରେ) ଆପଣଙ୍କ ଗୋରୁଗାଈମାନଙ୍କୁ BQ ଟିକା ନିଶ୍ଚୟ ଦିଅନ୍ତୁ। ଏହା ହିଁ ସବୁଠାରୁ ବଡ଼ ସୁରକ୍ଷା।
- ଗୋରୁମାନେ ଚରୁଥିବା ଜାଗା ବା ପଡ଼ିଆକୁ ସଫା-ସୁତୁରା ରଖନ୍ତୁ। ଯେଉଁ ପଡ଼ିଆରେ ଆଗରୁ କୌଣସି ପଶୁ ଏହି ରୋଗରେ ମରିଥିବ, ସେଠାକୁ ଗୋରୁମାନଙ୍କୁ ଛାଡନ୍ତୁ ନାହିଁ।
- ଯଦି କୌଣସି ପଶୁ ଏହି ରୋଗରେ ମରିଯାଏ, ତେବେ ତାର ଚମଡ଼ା କାଢ଼ନ୍ତୁ ନାହିଁ କି କୌଣସି ଖୋଲା ଜାଗାରେ ଫିଙ୍ଗନ୍ତୁ ନାହିଁ। ବୈଜ୍ଞାନିକ ପଦ୍ଧତିରେ, ଗୋରୁଟିକୁ ଗଭୀର ଗାତ ଖୋଳି, ତଳେ ଓ ଉପରେ ପ୍ରଚୁର ଚୂନ କିମ୍ବା ବ୍ଲିଚିଂ ପାଉଡର ଦେଇ ମାଟିରେ ପୋତି ଦିଅନ୍ତୁ, ଯେମିତି କି ଅନ୍ୟ ପଶୁଙ୍କୁ ଏହି ରୋଗ ଡେଇଁବ ନାହିଁ।
ଏହି ରୋଗର ଜୀବାଣୁ ମାଟିରେ ବହୁ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରନ୍ତି, ତେଣୁ ସାବଧାନତା ହିଁ ପଶୁର ଜୀବନ ବଞ୍ଚାଇପାରିବ।
୪. ଫାଟୁଆ ରୋଗ
ଫାଟୁଆ ରୋଗ ବା ଯାହାକୁ ଆମେ ସାଧାରଣ ଭାଷାରେ “ଖୁରା-ମୁହଁ ରୋଗ” ବୋଲି କହିଥାଉ, ଏହା ଗୋରୁଗାଈ ଓ ମଇଁଷିମାନଙ୍କୁ ହେଉଥିବା ଏକ ଅତି ସଂକ୍ରାମକ ଏବଂ କଷ୍ଟଦାୟକ ରୋଗ। ଏହି ରୋଗ ବହୁତ ଶୀଘ୍ର ଗୋଟିଏ ପଶୁଠାରୁ ଅନ୍ୟ ପଶୁକୁ ବ୍ୟାପିଥାଏ।

ରୋଗ ହେଲେ କେମିତି ଜାଣିବେ?
- ପଶୁର ପାଟି ଭିତରେ, ଜିଭରେ ଏବଂ ଓଠରେ ଛୋଟ ଛୋଟ ଫୋକା ହୋଇ ତାହା ଘା’ରେ ପରିଣତ ହୋଇଯାଏ। ଘା’ ଯୋଗୁଁ ଗୋରୁ କିଛି ଖାଇପାରେ ନାହିଁ।
- ଗୋରୁର ଖୁର ସନ୍ଧିରେ (ଗୋଡ଼ ଆଙ୍ଗୁଠି ମଝିରେ) ଫୋକା ହୋଇ ଫାଟିଯାଏ ଏବଂ ସେଠାରେ ଘା’ ହୋଇ ପୋକ ମଧ୍ୟ ପଡ଼ିଯାନ୍ତି।
- ପାଟି ଭିତରେ କଷ୍ଟ ହେବା ଯୋଗୁଁ ଗୋରୁ ପାଟିରୁ ସବୁବେଳେ ଲମ୍ବା ସୂତା ଭଳି ଲାଳ ବୋହିଥାଏ ଏବଂ ପାଟିରୁ ଚପ୍-ଚପ୍ ଶବ୍ଦ ହୁଏ।
- ଗୋଡ଼ ଘା’ ଯୋଗୁଁ ଗୋରୁଟି ଜୋରରେ ଛୋଟାଏ ଏବଂ ଠିଆ ହୋଇ ନପାରି ଶୋଇ ରହେ। କିଛି ଖାଇ ନପାରିବା ଯୋଗୁଁ ସେ ବହୁତ ଦୁର୍ବଳ ହୋଇଯାଏ ଓ ଗାଈର କ୍ଷୀର କମିଯାଏ।
ରୋଗରୁ ରକ୍ଷା ପାଇବାର ଉପାୟ
- ଏହି ରୋଗରୁ ବଞ୍ଚିବା ପାଇଁ ସବୁଠାରୁ ବଡ଼ ଉପାୟ ହେଲା ଟିକାକରଣ। ବର୍ଷକୁ ଦୁଇଥର (ପ୍ରତି ୬ ମାସରେ ଥରେ) ଆପଣଙ୍କ ପଶୁମାନଙ୍କୁ FMD ଟିକା ନିଶ୍ଚୟ ଦିଅନ୍ତୁ।
- ଯଦି ଗୁହାଳରେ କୌଣସି ଗୋରୁର ଏହି ଲକ୍ଷଣ ଦେଖାଯାଏ, ତାକୁ ବାକି ଭଲ ଗୋରୁମାନଙ୍କ ଠାରୁ ତୁରନ୍ତ ଦୂରକୁ ନେଇ ଅଲଗା ବାନ୍ଧନ୍ତୁ ଏବଂ ତାର ଖାଇବା ବାସନ ମଧ୍ୟ ଅଲଗା ରଖନ୍ତୁ।
- ଗୁହାଳକୁ ସବୁବେଳେ ସଫା ରଖନ୍ତୁ। ପୋଟାସିୟମ୍ ପରମାଙ୍ଗାନେଟ୍ (ଲାଲ୍ ପାଣି) କିମ୍ବା ବ୍ଲିଚିଂ ପାଉଡର ପାଣିରେ ଗୁହାଳର ଚଟାଣକୁ ଭଲଭାବେ ଧୋଇ ଜୀବାଣୁମୁକ୍ତ କରନ୍ତୁ। ଆକ୍ରାନ୍ତ ଗୋରୁର ମୁହଁ ଓ ଗୋଡ଼ର ଘା’କୁ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଲାଲ୍ ପାଣିରେ ସଫା କରନ୍ତୁ।
ଏହି ରୋଗରେ ପଶୁ ସିନା ସହଜରେ ମରେ ନାହିଁ, କିନ୍ତୁ ସେ ବହୁତ ଦୁର୍ବଳ ହୋଇଯାଏ ଏବଂ ଚାଷୀର କ୍ଷୀର ଉତ୍ପାଦନ ଓ ଚାଷ କାମ ସମ୍ପୂର୍ଣ୍ଣ ବୁଡ଼ିଯାଏ। ତେଣୁ ସାବଧାନ ରୁହନ୍ତୁ।
ବର୍ଷା ଋତୁରେ ଗାଈଗୋରୁଙ୍କ ଯତ୍ନ ପାଇଁ ୫ଟି ଜରୁରୀ ପରାମର୍ଶ
- ଗୁହାଳକୁ ସବୁବେଳେ ସଫା ଓ ଶୁଖିଲା ରଖନ୍ତୁ।
- ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ।
- ପୌଷ୍ଟିକ ଖାଦ୍ୟ ଓ ଖଣିଜ ଲବଣ ଦିଅନ୍ତୁ।
- ନିର୍ଦ୍ଧାରିତ ସମୟରେ ଟିକାକରଣ କରାନ୍ତୁ।
- କୌଣସି ଅସ୍ୱାଭାବିକ ଲକ୍ଷଣ ଦେଖିଲେ ତୁରନ୍ତ ପଶୁଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ।
ଶେଷ କଥା
ଗୋରୁଗାଈ ଓ ମଇଁଷିମାନେ ହେଉଛନ୍ତି ଆମ ଚାଷୀ ଭାଇମାନଙ୍କର ସନ୍ତାନ ସଦୃଶ ଏବଂ ସେମାନଙ୍କ ଜୀବିକାର ମୁଖ୍ୟ ସାହାରା। ଉପରେ ଆଲୋଚନା କରାଯାଇଥିବା ସାହାଣା (HS), ଅଡେଇ ଦିନିଆ ଜ୍ୱର (Three-Day Sickness), ବ୍ଲାକ୍ କ୍ୱାର୍ଟର (BQ), ଏବଂ ଖୁରା-ମୁହଁ ରୋଗ (FMD) ପରି ମାରାତ୍ମକ ରୋଗ ଗୁଡ଼ିକ ଚାଷୀର ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଅନ୍ତି।
ସୁରକ୍ଷା ହିଁ ସମାଧାନ: ପଶୁ ସମ୍ପଦକୁ ଏହିସବୁ ବିପଦରୁ ରକ୍ଷା କରିବା ପାଇଁ “ରୋଗ ହେବା ପରେ ଚିକିତ୍ସା କରିବା ଅପେକ୍ଷା, ରୋଗ ନହେବା ପାଇଁ ଆଗୁଆ ସାବଧାନତା ଆପଣାଇବା” ସବୁଠାରୁ ବୁଦ୍ଧିମାନର କାମ।
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ (FAQ)
ସାହାଣା (HS) ଏବଂ ବ୍ଲାକ୍ କ୍ୱାର୍ଟର (BQ) ରୋଗର ଟିକା କେଉଁ ମାସରେ ଦେବା ଉଚିତ୍?
ଏହି ଦୁଇଟି ଯାକ ରୋଗ ବର୍ଷା ଦିନେ ଅଧିକ ବ୍ୟାପିଥାଏ। ତେଣୁ ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ, ଅର୍ଥାତ୍ ମେ ଏବଂ ଜୁନ୍ ମାସ ମଧ୍ୟରେ ଗୋରୁଗାଈମାନଙ୍କୁ ଏହି ଟିକା ନିଶ୍ଚୟ ଦେଇଦେବା ଉଚିତ୍।
ଫାଟୁଆ ବା ଖୁରା-ମୁହଁ ରୋଗ (FMD) ଟିକା ବର୍ଷକୁ କେତେ ଥର ଦିଆଯାଏ?
ଫାଟୁଆ ରୋଗରୁ ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ଗୋରୁଗାଈଙ୍କୁ ବର୍ଷକୁ ଦୁଇ ଥର (ପ୍ରତି ୬ ମାସରେ ଥରେ) ନିୟମିତ ଭାବେ ଟିକା ଦେବାକୁ ପଡ଼ିଥାଏ।
ଯଦି ଗୋଟିଏ ଗୋରୁକୁ ରୋଗ ହୋଇସାରିଛି, ତେବେ ତାକୁ ଟିକା ଦିଆଯାଇପାରିବ କି?
ନା, ରୋଗରେ ଆକ୍ରାନ୍ତ ଥିବା ବା ଜ୍ୱର ହୋଇଥିବା ପଶୁକୁ କେବେ ହେଲେ ଟିକା ଦିଅନ୍ତୁ ନାହିଁ। ଟିକା କେବଳ ସୁସ୍ଥ ପଶୁମାନଙ୍କୁ ରୋଗରୁ ବଞ୍ଚାଇବା ପାଇଁ ଆଗୁଆ ଦିଆଯାଏ। ଅସୁସ୍ଥ ପଶୁର ପ୍ରଥମେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇବା ଉଚିତ୍।
ଅଡେଇ ଦିନିଆ ଜ୍ୱର (Three-Day Sickness) ହେଲେ କଣ ଗୋରୁ ମରିଯାଏ?
ସାଧାରଣତଃ ଏହି ରୋଗରେ ଗୋରୁ ମରନ୍ତି ନାହିଁ। ଏହା ୨ ରୁ ୩ ଦିନ ପର୍ଯ୍ୟନ୍ତ ରହେ ଏବଂ ଉପଯୁକ୍ତ ଯତ୍ନ ନେଲେ ପଶୁ ସୁସ୍ଥ ହୋଇଯାଏ। କିନ୍ତୁ ଏହି ସମୟରେ ଗାଈର କ୍ଷୀର ଉତ୍ପାଦନ ବହୁତ କମିଯାଏ, ଯାହା ଚାଷୀଙ୍କର ଆର୍ଥିକ କ୍ଷତି କରିଥାଏ।
ଗୁହାଳକୁ ଜୀବାଣୁମୁକ୍ତ କରିବା ପାଇଁ କେଉଁ ସହଜ ଉପାୟ ଆପଣାଇବେ?
ଆପଣ ଖୁବ୍ କମ୍ ଖର୍ଚ୍ଚରେ ବଜାରରୁ ଚୂନ କିମ୍ବା ବ୍ଲିଚିଂ ପାଉଡର ଆଣି ଗୁହାଳ ଚଟାଣରେ ପକାଇ ପାରିବେ। ଏହାଛଡ଼ା, ଗୋରୁଙ୍କ ଖୁରା ଧୋଇବା ପାଇଁ ପୋଟାସିୟମ୍ ପରମାଙ୍ଗାନେଟ୍ (ଲାଲ୍ ପାଣି) ବ୍ୟବହାର କରିପାରିବେ, ଯାହା ଜୀବାଣୁ ମାରିବାରେ ସାହାଯ୍ୟ କରେ।
ସଚେତନତା
ଏହି ଲେଖାଟି କେବଳ ସାଧାରଣ ସୂଚନା ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏଥିରେ ଦିଆଯାଇଥିବା ସୂଚନା ପଶୁଚିକିତ୍ସକଙ୍କ ପରାମର୍ଶର ବିକଳ୍ପ ନୁହେଁ। ଗାଈଗୋରୁରେ କୌଣସି ରୋଗର ଲକ୍ଷଣ ଦେଖାଦେଲେ ନିଜେ ଔଷଧ ବ୍ୟବହାର ନକରି ତୁରନ୍ତ ନିକଟସ୍ଥ ସରକାରୀ ପଶୁ ଚିକିତ୍ସାଳୟ କିମ୍ବା ଯୋଗ୍ୟ ପଶୁଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ଟିକାକରଣ ଓ ଚିକିତ୍ସା ସମ୍ବନ୍ଧୀୟ ନିଷ୍ପତ୍ତି ସର୍ବଦା ପଶୁଚିକିତ୍ସକଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଅନ୍ତୁ।


